ଅର୍ଜୁନର ଚିଠି


This story was written by me in 2006, when I was in Jajpur. It was the last year of my Graduation. There is a BIG story behind this story. I will share that story some other time. This story is written in Odia. I am really very very sorry if you have any difficulty or problem in reading this. May be your browser or device does not support it. I sincerely apologize for the inconvenience. It took me around 10 hours to complete this post in Odia and I am absolutely not in a mood to translate it in english. Report for any Issue I will try to provide you some solution sothat you can read it. 
THANX for EVERYTHING.

ଅର୍ଜୁନର ଚିଠି
କୃଷ୍ଣା,

ତୁମକୁ ବିବାହ କରିବାର ଆକାଂକ୍ଷା ଜାଗିଥିଲା ଦୁଇଟି କାରଣରୁ‌‍ | ପ୍ରଥମଟି ହେଲା ତୁମ ନାମ କୃଷ୍ଣା; ମୋର ପ୍ରିୟ ସଖା କୃଷ୍ଣଂକ ନାମ ସହ ତୁମ ନାମର ସାମଞ୍ଜସ୍ୟ ହେତୁ ତୁମ ନାମର ପ୍ରେମରେ ପଡି ଯାଇଥିଲି ମୁଁ | ‌‌‍‌‍ଦ୍ବିତୀୟ କଥା ହେଲା, ତୁମ ସହ ମୋର ସାମଞ୍ଜସ୍ୟ | ଆମ ଦୁହିଁଙ୍କର ରୁଚି ଓ ପ୍ରବୃତ୍ତି ଏକାପରି | ତୁମେ କୃଷ୍ଣଂକୁ ଭଲପାଅ, ଆାଉ ମୁଁ ବି | ଶାସ୍ତ୍ର ଆଲୋଚନା, କବିତା ଆବୃତ୍ତି, କଳା, ଅଭିନୟ ଓ ଭ୍ରମଣ ମୋ ପରି ତୁମକୁ ମଧ୍ୟ ରୋମାଂଚିତ କରିଥାଏ  |

କୃଷ୍ଣା ମୋର ପ୍ରିୟ, କୃଷ୍ଣ କୃଷ୍ଣାର ପ୍ରିୟ, ତେଣୁ କୃଷ୍ଣ ମୋର ଅତି ପ୍ରିୟ | ସଖା ହେଉଛନ୍ତି ଅର୍ଯ୍ୟାବର୍ତ୍ତର ଆଲୌକିକ ବ୍ୟକ୍ତିତ୍ବ | ସେ ଖବର ଦେଇ ନଥିଲେ ତୁମର ସ୍ବୟମ୍ବର ବିଷୟରେ ଆମେ ଜାଣିପାରି ନଥାନ୍ତୁ | କିମ୍ବା ସ୍ବୟମ୍ବର ଅଦଭୁତ୍ ସର୍ତ୍ତ ପୁରଣ କରି ତୁମକୁ ପ୍ରାପ୍ତ କରିପାରି ନଥାନ୍ତୁ | ସେଦିନ ତୁମେ ନିଶ୍ଚୟ ଗୋଟିଏ ଗରିବ ବ୍ରାହ୍ମଣ ଯୁବକର ଏପରି ଧନୁଚାଳନା ଦେଖି ଆଶ୍ଚର୍ଯ୍ୟ ହୋଇଥିବା | ତଥାପି ତୁମେ ମୋ ବେକରେ ବାରଣମାଳା ଦେଇଥିଲ ଓ ରାଜ ଉଆସ ଛାଡି ଆମ ସହ ବନ ଗମନ କରିଥିଲ, ଯାହା ମୋର ପ୍ରେମକୁ ଶତଗୁଣିତ କରିଥିଲା |

ସ୍ବୟମ୍ବର ସଭାରୁ ଯେତେବେଳେ ତୁମେ ମୋ ହାତ ଧରି ବନ୍ୟପଥରେ ଚାଲୁଥିଲ ସତେ କିଏ ଜାଣିଥିଲା ଯେ ତୁମେ ଏକନ୍ତଭାବେ ମୋର ହୋଇ ପାରିବନି ବୋଲି | ସେହି ମୁହୁର୍ତ୍ତରେ ମୁଁ ପୃଥିବୀର ଶ୍ରେଷ୍ଠ ବୀରପୁରୁଷ ମନେକରି ଗର୍ବ ଅନୁଭବ କରୁଥିଲି | ଭାବିଥିଲି ତୁମ ଉପରେ ସୂର୍ଯ୍ୟରଶ୍ମି କିମ୍ବା ଚନ୍ଦ୍ର କିରଣ ପଡିଲେ ମୁଁ ସୂର୍ଯ୍ୟ ଓ ଚନ୍ଦ୍ରଂକୁ ହତ୍ୟା କରିବି ବୋଲି | ଏପରିକି ତୁମର ରତ୍ନହାର ଓ କର୍ଣ୍ଣଫୁଲକୁ ଇର୍ଷ୍ଯା କରିବି ବୋଲି | କାରଣ ରତ୍ନହାର ତୁମର ବକ୍ଷଦେଶ ସ୍ପର୍ଶ କରେ ଓ କର୍ଣ୍ଣଫୁଲ ତୁମର ଗଣ୍ଡଦେଶ | ସ୍ବାମୀ ହୋଇ ମୁଁ ସେ ସବୁକୁ ବରଦାସ୍ତ କରିବି କିପରି? ମାତ୍ର କିଏ ଜାଣିଥିଲା ଆମ ଜୀବନରେ ଏମିତି ମୁହୂର୍ତ୍ତ ଆସିବ ବୋଲି | ମା’ଙ୍କର ସେଇ ଗୋଟିଏ ଉକ୍ତିରେ ସବୁକିଛି ବଦଳି ଯାଇଥିଲା | ମୋର ଉତ୍ତର କଣ ହେବ ତାହା ଜ୍ୟେଷ୍ଠ ଭ୍ରାତା ଓ ମା ନିରୁପଣ କରିପାରିନଥିଲେ | ତାହାହିଁ କନିଷ୍ଠ ଭ୍ରାତା ଓ ପୁତ୍ର ହିସାବରେ ଧର୍ମତଃ ମୋର କରିବା ଉଚିତ୍ |ସେତିକି ଛଡା ମୁଁ ଏକା ଏକା କୃଷ୍ଣାଂକୁ ଗ୍ରହଣ କରି ସୁଖୀ ହୋଇ ପାରିଥାନ୍ତି କିନ୍ତୁ ତାହା ଆମ ସମସ୍ତଂକୁ ଧର୍ମ ଦ୍ରୋହୀ ପାପରେ ଭାଗୀ କରିଥାନ୍ତା | ମୁଁ ତୁମ ପାଖରେ ଦୋଷୀ | ଯାହା ମା’ଙ୍କ ପାଟିରୁ ବାହାରିଛି, ତାକୁ ପାଳନ କରିବା ଆମର ପୁତ୍ରଧର୍ମ |

ଧନ ଓ କ୍ଷମତା ପ୍ରାପ୍ତ କରିବା ସଭିଂକର ଆଶା କିନ୍ତୁ ଅଧର୍ମ ଓ ଅନ୍ୟାୟ ଉପାୟରେ ଏସବୁ ହାସଲ କରିବା ମୂଲ୍ୟହୀନ | କୌରବ ମନେ ଆମ ପାଂଚ ଭାଇଂକୁ ଅନ୍ୟାୟ ଭାବରେ ରାଜ୍ୟ ଲାଭରୁ ବଂଚିତ କରି ବିଶାଳ ହସ୍ତିନା ରାଜ୍ୟର ଅଧିକାରୀ ହୋଇଛନ୍ତି | ସେମାନେ ସମଗ୍ର ଆର୍ଯାବର୍ତ୍ତରରେ ନିନ୍ଦିତ ଓ ସମାଲୋଚିତ |

ପ୍ରକୃତରେ ପଂଚପତି ବରଣ କେବଳ ତୁମପାଇଁ ନୁହେଁ ବରଂ ସମଗ୍ର ନାରୀଜାତି ପାଇଁ ଏକ ଆହ୍ବାନ | ଏକ ସମୟରେ ବହୁ ପୁରୁଷ ବରଣ କଲେ ମଧ୍ୟ ଜଣେ ନାରୀର ଚାରିତ୍ରିକ ଶୁଦ୍ଧତା ଅମଳିନ ରହିପାରେ | ଏହାହିଁ ପ୍ରମାଣ କରିବାପାଇଁ ତୁମର ଜନ୍ମ | ବୃହତ୍ତର ସ୍ବାର୍ଥରକ୍ଷା ପାଇଁ କ୍ଷୁଦ୍ରତରକୁ ବଳୀଦିଆ ଯାଇପାରେ | ଗୁରୁଜନଙ୍କର ଆଜ୍ଞାପାଳନ କରିବା ମଣିଷର କର୍ତ୍ତବ୍ୟ ତଥା ଧର୍ମ | ପିତୃଆଜ୍ଞା ପାଳନ କରି ପର୍ଶୁରାମ ମାତୃହାନ୍ତା ହୋଇଥିଲେ | ଆମ୍ଭେମାନେ ଆବାଲ୍ୟ ପିତୃହୀନ | ମାତା ହେଉଛନ୍ତି ଆମର ସର୍ବମୟ କର୍ତ୍ତୀ | ତାଙ୍କରି ଆଜ୍ଞା ପାଳନ କରିବାକୁ ଯାଇ ଆମେ ପାଂଚ ଭାଇ ଯଦି କୃଷ୍ଣାଂକୁ ବିବାହ କରିଛୁ, ତେବେ ଆମେ ଧର୍ମାଚରଣ କରିଛୁ | ପାଣ୍ଡବ ପାଂଚ ଭାଇଂକ ମଧ୍ୟରେ ଐକ୍ୟ ସ୍ଥାପନ କରିବା ପାଇଁ ତୁମେ ହେଲ ପାଂଚ ଜଣଙ୍କର ପତ୍ନୀ – ପାଂଚାଳୀ | ପୃଥିବୀରେ ଧର୍ମ ସ୍ଥାପନା କରିବେ ପାଣ୍ଡବ ପାଂଚ ଭାଇ | ସେମାନେ ଏକ ନହେଲେ ଧର୍ମର ପରାଜୟ ସୁନିଶ୍ଚିତ | ତେଣୁ ଆମ ଦୁହିଁକର ଭୁମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ | ମୁକ୍ତା ହେଉ ବା ପୁଷ୍ପ, ସୁକ୍ଷ୍ମ ସୂତା ବ୍ୟତିରେକ ସେ ସବୁକୁ ଏକତ୍ର କରି ମାଳା ଗୁନ୍ଥୀ ହୁଏନା |

ମୁକ୍ତାବସା ଝିଲିମିଲି ଓଢ଼ଣୀ ତଳୁ ମୁଁ ପ୍ରଥମଥର ଦେଖିଥିଲି ତୁମକୁ ସ୍ବୟମ୍ବର ସଭାରେ | କି ଅପୁର୍ବ ବେଶ | ଉଜ୍ଜ୍ବଳ ଚକ୍ଷୁ, ଚନ୍ଦନ ଚର୍ଚିତ ମୁଖ ଶୋଭା, ଗଳାରେ ଶୁଭ୍ରପୁଷ୍ପର ଗଜରା, ଆଖିର ନୀଳ ସମୁଦ୍ରରେ ଅସୁମାରୀ ସ୍ବପ୍ନର ଲହରୀ | ଇଛା ହେଉଥିଲା ଅନନ୍ତ କାଳ ପାଇଁ ତୁମ ମନଲୋଭା ରୂପକୁ... | ତୁମ ସହ ମୋର ଚରମ ସୁଖର ମୁହୁର୍ତ୍ତ ଅତିକ୍ରାନ୍ତ ହୋଇଛି | ତୁମକୁ ଏକାନ୍ତ ନିଜର ଭାବେ ଯେତିକି ସମୟ ପାଇଛି, ତାହାହିଁ ମୋ ଜୀବନର ଶ୍ରେଷ୍ଠ ମୁହୁର୍ତ୍ତ | ଆଉ ଯେଉଁ ଅବଶିଷ୍ଟ ସମୟ ରହିଲା ତାହା କେବଳ ଧର୍ମରକ୍ଷା ଓ ଜଗତ ମଂଗଳ ପାଇଁ ଉତ୍ସର୍ଗୀକୃତ | ତେଣୁ ନିଜ ତରଫରୁ ଭରସା ହରାଇଲେ ଚାଲିବ କିପରି? ଧର୍ମରକ୍ଷା ପାଇଁ ମୁଁ ନିଜ ଜୀବନର ଶ୍ରେଷ୍ଠ ସମୟକୁ ଉତ୍ସର୍ଗ କରିଦେଇଛି | ଗତ କଥାରେ ଶୋଚନା କରା ଯାଏନା କୃଷ୍ଣା | ତୁମକୁ କିଛି ସମୟପାଇଁ ମୁଁ ନିଜର କରିପାରିଲି ସେତିକି କ’ଣ ମୋ ପାଇଁ ସୌଭାଗ୍ୟର କଥା ନୁହେଁ?

ହଁ... ହଁ... ମୁଁ ଜାଣିଶୁଣି ନିୟମ ଭଂଗ କରିଛି | ଯେତେବେଳେ କୃଷ୍ଣା ସ୍ବାମୀଙ୍କ ସହ ଥିବେ; ଅନ୍ୟ କେହି ପାଣ୍ଡବ ସେ ଗୃହରେ ପ୍ରବେଶ କଲେ ବାର ବର୍ଷ ବ୍ରହ୍ମଚର୍ଯ ସହ ବନବାସ ଦଣ୍ଡ ଭୋଗିବେ ବୋଲି ବ୍ରହ୍ମର୍ଷି ନାରଦଙ୍କ ଉପସ୍ଥିତିରେ ସର୍ବସଂମତି କ୍ରମେ ସ୍ଥିର ହୋଇଥିଲା | ଆମ୍ଭମାନଙ୍କର ଶ୍ରୁଂଖଳିତ ଯୁଗ୍ମ ଜୀବନ ପାଇଁ ଏଭଳି ଏକ ନିୟମ ଅତ୍ୟାବଶ୍ୟକ ଥିଲା | ଜାଣିଜାଣି ମୁଁ ତୁମ ଓ ଜ୍ୟେଷ୍ଠ ଭ୍ରାତାଙ୍କର ଶୟନ କକ୍ଷକୁ ଅସ୍ତ୍ର ଆଣିବା ପାଇଁ ପ୍ରବେଶ କରିଥିଲି | ସେଥିପାଇଁ ସଭିଂକ ବାରଣ ସତ୍ତ୍ବେ ମୁଁ ବନ ଗମନ କଲି | ତୁମକୁ ଶାସ୍ତି ଦେବା ମୋର ଉଦ୍ଦେଶ୍ୟ ନୁହେଁ | ଚାରିପତି ଥାଉ ଥାଉ ତୁମର ଆଉ ଦୁଃଖ କଣ? ଧର୍ମ ପଥରେ ଚାଲୁ ଚାଲୁ ବଡ଼ ଭାଇ ବେଳେ ବେଳେ କଠୋର ହୋଇ ପଡନ୍ତି; ତାଂକୁ ଭୂଲ୍ ବୁଝିବ ନାହିଁ  | ଭୀମଙ୍କୁ ରଗିବ ନାହିଁ | ନକୁଳ ଓ ସହଦେବଙ୍କୁ ଅବହେଳା କରିବା ନାହିଁ | ଆଉ ସବୁଠୁ ଉପରେ ଯିଏ, ଆମ ମା’, ତାଙ୍କ ପ୍ରତି କର୍ତ୍ତବ୍ୟରେ ତୃଟି କରିବ ନାହିଁ | ମୋ କଥା ଭାବି ମନ କଷ୍ଟ କରିବ ନାହିଁ | ରାଜପୁତ୍ର ହେଲେ ମଧ୍ୟ ବାଲ୍ଯକାଳରୁ ବନବାସ, ବିପଦ, ଅନାହାର, ଅର୍ଧାହାର, ଦାରିଦ୍ର୍ୟ ଓ ଭାଗ୍ୟ ସହ ଅମ୍ଭେ ସଂଗ୍ରାମ କରିଆସିଛୁ | ଈଶ୍ବରଙ୍କ ଇଛା ଥିଲେ ପୁଣି ଫେରି ଆସିବି | କିନ୍ତୁ ଏକା ନୁହେଁ... ମୋ ସହ ଥିବେ ନାଗ ଲୋକର ରାଜକନ୍ୟା ଉଲୁପି, କଳିଙ୍ଗ ରାଜକନ୍ୟା ଆର୍ଯ୍ୟ, ମଣିପୁରୀ ରାଜକନ୍ୟା ଚିତ୍ରାଙ୍ଗଦା ତଥା କୃଷ୍ଣ-ବଳରାମଙ୍କର ଗେଲ୍ହା ଭଉଣୀ ସୁଭଦ୍ରା |

ଏସବୁ ବିବାହ ପଛରେ କିଛିଟା ମହତ୍ ଉଦ୍ଦେଶ୍ୟ ରହିଛି | ତୁମେ ଜାଣ ଯେ ହସ୍ତିନାପୁର ଓ ଇନ୍ଦ୍ରପ୍ରସ୍ତ ଭାଗ ଭାଗ ହୋଇଯିବା ପରେ କୌରବମାନଙ୍କ ମନରେ ହିଂସା ଓ ଅସୂୟା ଭାବ କୁହୁଲୁଛି | ଦିନେ ତାହା ଜଳି ଉଠିବ | ଏ ହେଉଛି ସେଇ ଯୁଦ୍ଧର ପ୍ରସ୍ତୁତି ପର୍ବ | କଳିଙ୍ଗ, ନାଗଲୋକ ଓ ମଣିପୁର ହେଉଛି ବୀରଭୂମି | ଯଦି କୌରବ ଓ ପାଣ୍ଡବମାନଙ୍କ ମଧ୍ୟରେ ଯୁଦ୍ଧ ହୁଏ ତେବେ ଏ ସମସ୍ତ ରାଜ୍ୟ ଆମକୁ ସହଯୋଗ କରିବେ | ରାଜନୈତିକ କାରଣ ଯୋଗୁଁ ଏ ମୋର ବହୁ ବିବାହ | ତୁମେ ଯେପରି ଧର୍ମରକ୍ଷା ଲାଗି ପାଂଚ ପତିଙ୍କୁ ଆପଣେଇ ନେଇଛ | ମୋତେ ମଧ୍ୟ ଠିକ୍ ସେହିପରି ନିଜକୁ ତୁମଠାରୁ ଦୁରେଇ ନେଇ ଭାଗ ଭାଗ ହେବାକୁ ପଡୁଛି ବିଭିନ୍ନ ନୃପତିମାନଙ୍କ ପାଖରେ |
ମୁଁ ଶତ ପତ୍ନୀ ଗ୍ରହଣ କଲେମଧ୍ୟ ତୁମେ ହେଉଛ ମୋର ପ୍ରଥମ ପତ୍ନୀ... ପ୍ରିୟତମା | ମୋର ବାକ୍ୟ ଗୁଡିକ ତୁମକୁ ନୀତିପୂର୍ଣ୍ଣ ଉପଦେଶ ପାରି ଲାଗିପାରେ | ହୁଏତ ତୁମେ ଭାବିପାର ଯେ ମୁଁ ତୁମକୁ ପ୍ରବୋଧନା ଦେଉଛି ବୋଲି କିନ୍ତୁ ବିଶ୍ବାସ କର ମୁଁ ତୁମ ଅପେକ୍ଷା ବେଶି ମର୍ମାହତ... ଆଉ ବହୁତ୍ ବେଶି ଅସହାୟ |

ମୁଁ ଏପରି ଅସହାୟ ଯେ ମୋ ମନକଥା ତୁମକୁ ଖୋଲି କହି ପାରିବି ନାହିଁ | କାରଣ ତାହାହିଁ ସଖାଙ୍କ ନିର୍ଦେଶ | ବେଳେ ବେଳେ ସେ ଏମିତି କଥା କୁହନ୍ତି ମନେହେବ ଯେମିତି ସେ ଜାଣି ଜାଣି ଆମକୁ ଖାଲରେ ପକାଉଛନ୍ତି | କିନ୍ତୁ ଧୈର୍ଯ୍ୟର ସହ ତାହା ପାଳନ କଲେ ଜଣାଯାଏ ଯେ ଏଥିରେ ତାଙ୍କର ମହତ୍ ଉଦ୍ଦେଶ୍ୟ ରହିଥାଏ |

ସେଥିନିମନ୍ତେ ମୁଁ ଏ ଚିଠିକୁ ଭାସମାନ ସିନ୍ଦୁକରେ ରଖି ସମୁଦ୍ର ଗର୍ଭରେ ନିକ୍ଷେପ କରୁଛି |
ସୁଖରେ ଥାଅ କୃଷ୍ଣା | ଈଶ୍ବରଙ୍କ ଇଛାଥିଲେ ଦିନେନା ଦିନେ ଆମର ମିଳନ ହେବ |

| ଇତି |

ତୃତୀୟ ପାଣ୍ଡବ

ଅର୍ଜୁନ

Comments

semun said…
ବହୁତ୍ ଭଲ| ଗୋଟେ ଜିଜ୍ଞାସା !!!
"କଳିଙ୍ଗ, ନାଗଲୋକ ଓ ମଣିପୁର ହେଉଛି ବୀରଭୂମି | ଯଦି କୌରବ ଓ ପାଣ୍ଡବମାନଙ୍କ ମଧ୍ୟରେ ଯୁଦ୍ଧ ହୁଏ ତେବେ ଏ ସମସ୍ତ ରାଜ୍ୟ ଆମକୁ ସହଯୋଗ କରିବେ | ରାଜନୈତିକ କାରଣ ଯୋଗୁଁ ଏ ମୋର ବହୁ ବିବାହ |"
ତାହେଲେ, କୃଷ୍ଣ-ବଳରାମଙ୍କର ଗେଲ୍ହା ଭଉଣୀ ସୁଭଦ୍ରା ଙ୍କୁ ବିବାହ ପଛରେ ଅନ୍ଯ କିଛି କାରଣ ଅଛି, ନା ଲେଖକ "କୃଷ୍ଣ- ଅର୍ଜୁନ" ଙ୍କ ସମ୍ପର୍କର ମାଧୁର୍ଯ୍ୟ ର‌କ୍ଷା କରିବାକୁ ଯାଇ ଏ ପ୍ରସଙ୍ଗରେ ନୀରବ ରହିଲେ ???
Ansuman Jena said…
Semun: ପ୍ରଥମେ ମୁଁ କ୍ଷମା ପ୍ରାଥନା କରିବି ମୋର ଅତିମାତ୍ରାରେ ବିଳମ୍ବିତ ପ୍ରତିଉତ୍ତର ପାଇଁ| ଆପଣଙ୍କ ପ୍ରଶ୍ନର ଉତ୍ତର ବାବଦରେ ମୁଁ ଏତିକି ମାତ୍ର କହିବି ଯେ, "ସୁଭଦ୍ରାଙ୍କ ସହ ଅର୍ଜୁନଙ୍କର ବିବାହ ସମ୍ପର୍କରେ ସମସ୍ତ ତଥ୍ୟ ମହାଭାରତରେ ବର୍ଣିତ, ତେଣୁ ସେ ସମ୍ପର୍କରେ ମୁଁ ଅଧିକ ବ୍ୟାଖ୍ୟା କିମ୍ବା ଚର୍ଚା କରୁନାହିଁ | ମୋର ଲେଖା ଏବଂ ନିରବତା ସମ୍ପର୍କରେ ମୁଁ ଏତିକି ମାତ୍ର କହି ରଖିବାକୁ ଚାହେଁ ଯେ ବୋଧ ହୁଏ ଆପଣ ମୋ ଲେଖାର ଦିଗ ଠିକରେ ଧରି ପାରିଲେନାହିଁ|"

ମୁଁ ଆପଣଙ୍କୁ ନିଶ୍ଚିତ ଧନ୍ୟବାଦ ‌‍‌ଜ୍ଞାପନ କରିବି|
ଏମିତି ପଢୁଥାନ୍ତୁ ଆଉ ଜିଜ୍ଞାସାକରି ଚାଲନ୍ତୁ|

ଆପଣଙ୍କର ମଙ୍ଗଳ ହେଉ |

Popular Posts