ସତରେ କ’ଣ ଭଗବାନ ଅଛନ୍ତି

ନାଁ ତାର ଭଗବାନ, ମାତ୍ର କାର୍ଯ୍ୟକଳାପରେ ସେ ପୁରା ବିପରୀତ; ଗୋଟିଏ ମସ୍ତ ବଡ ନାସ୍ତିକ ସିଏ | ରିକ୍ସା ଟାଣି ସ୍ତ୍ରୀ, ପୁଅ ତଥା ନିଜର ପେଟ ପୋଷେ | ସ୍ତ୍ରୀର ନାମ ଚଂଚଳା; ମାତ୍ର ସେ ପୁରା ସରଳ ଓ ଈଶ୍ଵର ବିଶ୍ଵାସୀ | କପଟର ‘କ’ ଅକ୍ଷର ମଧ୍ୟ ଜାଣେନାହିଁ | ପୁଅର ନାମ ବିଶିକେଶନ କିନ୍ତୁ ଗରିବ ଘରେ ଜନ୍ମ ହୋଇଥିବାରୁ ବାଲ୍ୟକାଳରୁ ଅବହେଳିତ ଓ ଅନାଦୃତ | ଘରେ ତାଙ୍କର ଗାଈଟିଏ ଥାଏ, ନାଁ ତାର କାମଧେନୁ | ଚଂଚଳା ଏ ନାଁ ଦେଇଥିଲା ପୁରାଣ ପଢି, ମାତ୍ର ଗାଈଟା ଏକଦମ ବୁଢୀ | ଦିନକୁ ପୋଷେ ମଧ୍ୟ ଦୁଧ ଦିଏ ନାହିଁ, ବରଂ ତା ପାଇଁ ଝମେଲା ଅନେକ | କେଉଁ ଦିନ କାହା ବାଡିରେ ପଶି କ’ଣ ଖାଇଗଲାଣି ତ ଆଉ କେଉଁ ଦିନ ଘରେ ବନ୍ଧା ହୋଇ ହମ୍ମା ରଡି ଛାଡି ପଘା ଛିଣ୍ଡାଇଲାଣି | ମଣିଷମାନେ ଦୁଇ ଓଳି ଠିକ୍ ସେ ପେଟ ପୁରା ଖାଇ ପାରୁନାହାନ୍ତି, ବୁଢୀ ଗାଈଟା କଥା ପଚାରେ ବା କିଏ ? ଭଗବାନଟା ରାତିରେ ଫେରି ଗେରେ ଗେରେ ହୁଏ | ଗାଈଟାକୁ ବିକି ଦେବା ପାଇଁ ଅନେକ ଥର କହିଛି ସେ; କିନ୍ତୁ ବିରୋଧ କରେ ଚଂଚଳା, କହେ ଗାଈ କୁଆଡେ ମାତା | ଗୋମାତାକୁ ବିକ୍ରୀ କରିବା ଅର୍ଥ ଗୁଡାଏ ପାପ ଭାଗ୍ୟରେ ଲେଖିବା | ଥମିଯାଏ ଭଗବାନ |
× × ×
            ସେମିତି ହେଉଥାଏ ବର୍ଷା | ତିନିଦିନ ହେଲାଣି, କମୁନି ଜମାରୁ | ଭଗବାନ ଚାଳ କଣା ଦେଇ ଘର ଭିତରେ ପଡୁଥିବା ପାଣି ଆଡକୁ ଚାହିଁ କେଜାଣି କ’ଣ ଭାବୁଥାଏ | ଚଂଚଳା କରୁଥାଏ ଠାକୁର ପୂଜା | ନିଦରେ ଶୋଇଥାଏ ବିଶିକେଶନ | ହଠାତ୍ ତାର ନିଦ ଭାଂଗିଲା ଓ ସେ ଚଂଚଳାକୁ ଖାଇବାକୁ ମାଗିଲା | କିନ୍ତୁ ଚଂଚଳା ଠାକୁର ପୁଜା ଅଧାରୁ ଛାଡି ଆସିବାକୁ ନାରାଜ୍ | ଏଥର ବିଶିକେଶନ ଭୋକ ବିକଳରେ କାନ୍ଦିବା ଆରମ୍ଭ କଲା, ତଥାପି ଚଂଚଳା ଅଟଳ | ହାର ମାନିଲା ବିଶିକେଶନ, ଗଲା ଭଗବାନ ପାଖକୁ |
            ବୋଧହୁଏ ଭଗବାନକୁ ଝାମା ନିଦ ଟିକେ ଆସିଯାଇଥିଲା | ଆଖି ଖୋଲି ପୁଅର କରୁଣ କ୍ରନ୍ଦନ ଦେଖି, ସେ ହେଲା ବ୍ୟଥିତ | ରାଗରେ ଅଗ୍ନିଶର୍ମା ହୋଇ କହିଲା, “ଶାଳୀ ମାଇକିନିଆ ଠାକୁର ପୁଜା କରୁଛି | ବିଶିଆ ମୋର ଏଠି ଭୋକରେ ଗଡିଲାଣି... ଶାଳୀର ଠାକୁର ପୁଜା ଛଡଉଛି... ରହ, ଆଜି ତୋର ଦିନକୁ ମୋର ଦିନେ |”
            ଚିରା ଫଟା ମଇଳା ଗାମୁଛାକୁ ଅଂଟାରେ ବାନ୍ଧି ଦୁମ୍ ଦୁମ୍ ହୋଇ ମାଡି ଗଲା ସେ | ପୁଜା ସାରି ମୁଣ୍ଡିଆ ମାରୁଥାଏ ଚଂଚଳା | ଅପେକ୍ଷା କରି ପାରିଲାନି ଭଗବାନ, ଏକବାରେ ଚୁଟି ଧରି ଘୋଷାରି ଆଣିଲା | ଯନ୍ତ୍ରଣାରେ ଚିତ୍କାର କଲା ଚଂଚଳା |
ଭଗବାନ: ପୁଅ ମୋର ଭୋକ ବିକଳରେ କାନ୍ଦି କାନ୍ଦି ଗଡିଗଲାଣି, ଆଉ ତୁ ଏଠି ଠାକୁର ପୁଜା କରୁଛୁ ?
ଚଂଚଳା: ତିନିଦିନ ହେଲା ରିକ୍ସା ନେଇ ଯାଇନ ଯେ, ଘରେ ଦାନା ବୋଲି ଗୋଟେ ହେଲେ କିଛି ନାହିଁ...
ଭଗବାନ: ଆଉ ଠାକୁର ପୁଜା କଲେ ଘରକୁ ଦାନା ଚାଲି ଆସିବା ନାଇଁ | କେତେଥର କହିଛି, ଏ ବୁଢୀ ଗାଇଟାକୁ ବିକିଦବା ? ନାଁ, କୁଆଡେ ପାପ ହବ | ଆରେ ଶଳା ଖାଇକି ବଂଚିଥିଲେ ସିନା, ପାପ ପୁଣ୍ୟର ହିସାବ କରିବୁ...
ଚଂଚଳା: ତୁମର ବୁଦ୍ଧି ଗୁଡା ସବୁ ବିଡି ଧୁଆଁରେ ଉଡି ଗଲାଣି... ଆଉ କରିବ ବା’ କଣ? ଶେଷରେ ଗୋମାତାକୁ ବିକି ଖାଇବ?
ଭଗବାନ: ଆଉ ତୋ ଦିଅଁ ଦେବତାଙ୍କୁ କହୁନୁ ଖାଇବାକୁ ଦେବେ | ଆବେ, ମାଗ ସେ ମୁର୍ତିକୁ... ସେ ଫଟୋକୁ... ସେଥିରୁ ଗଳିବ ନାନା ରକମର ଖାଦ୍ୟ |
ଚଂଚଳା: ହଁ, ଦିଅଁଙ୍କ କୃପା ହେଲେ, ସେଥିରୁ ବି ଖାଦ୍ୟ ବାହାରିବ | ମୁଁ ଆର ସାହି ପ୍ରବଚନରେ ଶୁଣିଛି, ସାଧୁ ବାବା କହୁଥିଲେ... ଭଗବାନ, ଈଶ୍ଵର, ଆଲ୍ଲା ସବୁ ଏକ | ଭଗବାନ ସବୁ ଆଡେ ଅଛନ୍ତି...
ଭଗବାନ: ହୁଃ, କହିଲା କ’ଣ ନା ସବୁ ଅଡେ ଅଛନ୍ତି... କାହିଁ ମତେ ତ ଦେଖାଯାଉ ନାହାନ୍ତି ? ତୁ ମତେ ଦେଖାନି, କୋଉଠି ଅଛନ୍ତି? ଆଉ ଯଦି ସବୁ ଅଡେ ଅଛନ୍ତି, ତାହେଲେ ସବୁ ବେଳେ ସେ ଫଟୋ ଆଉ ମୁର୍ତିକୁ କାହିଁକି ଧରି ବସିଛୁ ?
(ନୀରବ ରହିଲା ଚଂଚଳା)
ଭଗବାନ: କହ, ତୋ ଠାକୁର କୋଉଠି ଅଛି ? ଆସୁ ମତେ ଦେଖା ଦେଉ | ମୋ ପୁଅକୁ ଖାଇବାକୁ ଦେଉ | ଶଳା, କହିଲା କ’ଣ ନା’ ସବୁ ଆଡେ ଅଛି ଠାକୁର | କୋଉଠି ଅଛି... ଡାକ୍ ବେ ଶଳା ତୋ ଠାକୁରକୁ...
ଚଂଚଳା: ତୋରୀ ପରି ଦୁର୍ବୁଦ୍ଧି ବାହାର କରିଥିଲା ବୋଲି ହିରଣ୍ୟ କାଶ୍ୟପ ମରିଥିଲା, ପ୍ରଭୁ ନରସିଂହଙ୍କ ହାତରେ |
ଭଗବାନ: ହିରଣ୍ୟ କାଶ୍ୟପ !! ପ୍ରଭୁ ନରସିଂହ !! ଆବେ ସିଏ କିଏ ବେ ?
ଚଂଚଳା: ମଗଜରେ ତ ମସଲା ନାହିଁ, ନିଶା-ଧୁଆଁରେ ସବୁ ଉଡିଗଲାଣି... ଆଉ ଏ ସବୁ ଜାଣିବୁ କେମିତି? କେତେଥର କହିଛି ମୋ ସହ ବାବୁଙ୍କ ଘରକୁ ଚାଲ୍... ବାବୁଆଣୀ ପୋଥି ପୁରାଣ ପଢିବେ... ଶୁଣିବୁ, ଟିକେ ଅକଲ୍ ଆସିବ |
ଭଗବାନ: ଆରେ ଶୁଣ, ପୋଥି ପୁରାଣ ଏସବୁ ତୁମ ମାଇପି ଲୋକଙ୍କ ପାଇଁ | ଆମେ ହେଲୁ ମର୍ଦ ପୁଅ, ଆମକୁ ଏଥିରୁ କ’ଣ ମିଳିବ କହିଲୁ ଦେଖି?
ଚଂଚଳା: (ଛିଗୁଲେଇ କହିଲା) ନାଁ... କିଛି ମିଳିବନି | ଯଦି ଏଗୁଡା ଖାଲି ମାଇପିଙ୍କ ପାଇଁ ତାହେଲେ ଆମ ଗାଁ ମନ୍ଦିର ନନା କେମିତି ଏ ସବୁ ଜାଣିଛନ୍ତି ?
ଭଗବାନ: ତୁ ସେ ମାଇଚିଆଟା କଥା କାହିଁକି କହୁଛୁ ? ତୁ କଣ ତା’ ଗୁଣ-ଗାରିମା ଜାଣିନୁ? ହେଃ, ଅସରପା ଗୋଟେ ଚଢେଇ, ନା ସେ ଗୋଟେ ମଣିଷରେ ଗଣା ? ଗଲା ସୋମବାର ଫୁଲ ଦେଉ ଦେଉ ସେ ସାହୁ ଘର ବୋହୁର ହାତ ଧରିଥିଲା ବୋଲି ବହେ ମାଡ ଖାଇଥିଲା...
ଚଂଚଳା: ଆରେ ତୁମେ ଏତେ କଥା କେମିତି ଜାଣିଲ ମ ?
ଭଗବାନ: ଆରେ, ରିକ୍ଶା ଚଲାଏ ମୁଁ ରିକ୍ଶା | ଏ ସାରା ସହରର ଖବର ମୋ ପାଖରେ... ତୁ କଣ ଭାବୁଛୁ...
ଚଂଚଳା: କି ଯୁଗ ହେଲା ଲୋ ମା... ଶେଷରେ ଦିଅଁ ଦେବତାଙ୍କ ଆସ୍ଥାନରେ ବି... ହେ ପ୍ରଭୂ...
ଭଗବାନ: ମୁଁ ପା’ ଭଡା ନେଇ କି ଯାଇଥିଲି ସାହୁ ସାହି, ସେଇଠି ଜାଣିଲି |         
ଚଂଚଳା: ସେଇ କଥା ଖାଲି ଜାଣିଥା, ପୋଥି ପୁରାଣ କଥା କାହିଁକି ଜାଣିବ? ଏଗୁଡା ଖରାପ୍ କଥା |
ଭଗବାନ: ଆବେ, ସେଟା କୋଉ ଗଛର ଫଳ ବେ, ଯୋଉଟା ଏ ଭଗବାନ ରିକ୍ସାବାଲାକୁ ଅଜଣା?
ଚଂଚଳା: ହଉ କୁହ ତ, ମୁଁ ଟିକେ ଶୁଣିବି |
ଭଗବାନ: ଉୁଁ... ଉୁଁ... ଏଇ ସାମାନ୍ୟ କଥା ଜାଣିନୁ; କ’ଣ ନା ସବୁ ଦିନ ସନ୍ଧ୍ୟା ବେଳେ ମନ୍ଦିର ଯାଉଛି ପ୍ରବଚନ ଶୁଣିବାକୁ... ହୁଃ | ହଉ, ଶୁଣ ମୁଁ ଛୋଟ କରି କହୁଛି... ଏଇ ଯୋଉ ଗୋଟେ ଦଶ ମୁଣ୍ଡିଆ ରାକ୍ଷସ ଥିବା | କାହା ସ୍ତ୍ରୀକୁ ଚୋରିକରି ନେଇ ଆସିଥିବ ବୋଲି...
ଚଂଚଳା: (ଖୁବ୍ ଜୋରରେ ହସି ଉଠିଲା) ତୁମେ ମତେ ହିରଣ୍ୟ କାଶ୍ୟପ କଥା କହୁ କହୁ, ରାମାୟଣ ଭିତରେ କ’ଣ ପଶିଗଲଣି | (ପୁଣି ହସିଲା)
(ନିଜ ଭୁଲ୍ ବୁଝିପାରି ହସିଲା ଭଗବାନ | ବିଶିକେଶନକୁ ବି ମାଡିଲା ହସ... ୟା ଭିତରେ ସେ ଭୁଲିଯାଇଥିଲା ପେଟର ଭୋକ |)
ଚଂଚଳା: (ହସି ହସି) ତୁମେ କିଛି ଜାଣିନ, କିନ୍ତୁ ବାହାସ୍ଫୋଟରେ କିଏ କ’ଣ ତୁମକୁ ବଳେଇ ଯିବ ?
ଭଗବାନ: (ହଠାତ୍ ରାଗିଗଲା) କଣ ହେଲା ମୁଁ କିଛି ଜାଣିନି... ଆଉ ତୁ ସବୁ ଜାଣିଛୁ? ହଉ, ଏତେ ଯଦି ଜାଣିଛୁ ତାହେଲେ ମତେ ଟିକେ ବୁଝେଇ କହିଲୁ ଦେଖି...
ଚଂଚଳା: ହଉ ଶୁଣ (ଆରମ୍ଭ କଲା ଚଂଚଳା)
            ହିରଣ୍ୟ କାଶ୍ୟପ ଥିଲା ଭାରୀ ଅତ୍ୟାଚାରୀ | ତା’ ପୁଅ ପ୍ରହଲ୍ଲାଦ ଥିଲା ବିଷ୍ଣୁଙ୍କର ପରମ ଭକ୍ତ | ହିରଣ୍ୟ କାଶ୍ୟପ ନିଜ ପୁଅକୁ ମାରିବାକୁ ପଛେଇ ନଥିଲା | ହେଲେ ବିଷ୍ଣୁଙ୍କ କୃପାରୁ ପ୍ରହଲ୍ଲାଦର କିଛି ବି ହେଲାନି | ଓଲଟା ଅନେକ କ୍ଷତି ହେଲା ହିରଣ୍ୟ କାଶ୍ୟପର | ଦିନେ ଅତି ରାଗିଯାଇ ସେ ପ୍ରହଲ୍ଲାଦକୁ ଡାକି ପଚାରିଲା, “କେଉଁଠି ଅଛନ୍ତି ତୋ ଭଗବାନ, ଦେଖା ମତେ ?” ପ୍ରହଲ୍ଲାଦ କହିଲା, “ଈଶ୍ଵର ସର୍ବତ୍ର ବିଦ୍ୟମାନ” | ହିରଣ୍ୟ କାଶ୍ୟପ ଗୋଟେ ଖମ୍ବକୁ ଦେଖେଇ କହିଲା, “ଏ ଖମ୍ବରେ ଅଛି”? ଉତ୍ତର ମିଳିଲା, ହଁ | କ୍ରୋଧିତ ହୋଇ ହିରଣ୍ୟ କାଶ୍ୟପ ନିଜ ଗଦାରେ ଖମ୍ବକୁ ଭାଂଗିଲା; ଆଉ ସେଥିରୁ ପ୍ରକଟ ହେଲେ ପ୍ରଭୂ ନରସିଂହ | ମୁହଁ ଦେଖିବାକୁ ଠିକ ସିଂହ ପରି, ଆଉ ଦେହଟା ପୁରା ମଣିଷ ଭଳିଆ | ନିଜର ମୁନିଆ ନଖରେ ହିରଣ୍ୟର ଛାତି ଚିରି ଦେଲେ ପ୍ରଭୂ | ଏଟା ହେଲା ହିରଣ୍ୟ କାଶ୍ୟପ କଥା, ମୁଁ ଛୋଟ କରି ଶୁଣେଇଲି | କିଛି ବୁଝିଲ ନା ନାହିଁ ବା ?
(ଭାବନାରେ ହଜିଯାଇଥିଲା ଭଗବାନ |)
ଚଂଚଳା: (ତାକୁ ହଲେଇ ପଚାରିଲା ଚଂଚଳା) ହେଇ, ମୋ କଥା ଶୁଣୁଛ ନା ବସି କଣ ଭାବୁଛ?
ଭଗବାନ: (ପ୍ରକୃତିସ୍ଥ ହେଲା) ଉୁଁ... ହୁଁ... ହଁ, ମୁଁ ସବୁ ଶୁଣିଛି | ଆରେ ତୋ ଠାକୁର ଯଦି ସବୁଆଡେ ଅଛନ୍ତି... ଉୁଁ... କ’ଣ ଏଇ ବାଉଁଶ ଖମ୍ବରେ ବି ଅଛନ୍ତି ? ଯଦି ଅଛନ୍ତି ଡାକ୍ ତାକୁ, ମୋ ପୁଅକୁ ଖାଇବାକୁ ଦବ |
ଚଂଚଳା: ତୁମେ ସେମିତି କଣ କହୁଛ ?
(ଭଗବାନ ଚଂଚଳାର ଉତ୍ତରକୁ ଅପେକ୍ଷା ନକରି, କ’ଣ ଗୋଟେ ଖୋଜୁଥାଏ | କିଛି ସମୟ ପରେ ଚାଳରୁ କୁରାଢିଟାକୁ ଟାଣି ଆଣିଲା, ଆଉ କହିଲା...)
ଭଗବାନ: ଡାକ୍ ତୋ ଠାକୁରକୁ... ଆଜି ତାର ଦିନକୁ ମୋର ଦିନେ... ଏବେ ଫଇସଲା ହବ... କୋଉଠି ଅଛି ଡାକ୍ ତାକୁ...
ଚଂଚଳା: ତୁମେ ପାଗଳ ହୋଇଗଲ ନା କ’ଣ ? ଏଇ କଥାରୁ ତୁମେ ପ୍ରହଲ୍ଲାଦର ଭକ୍ତି କଥା ନ ଶିଖି, ହିରଣ୍ୟ କାଶ୍ୟପ କଥା ଶିଖିଲ ନା କ’ଣ?
ଭଗବାନ: ସେ କଥା ମତେ ଆଉ ଶୁଣାନା... ମୁଁ ଠିକ ଜାଣିଛି, ଏଗୁଡା ସବୁ ଗପ | ତୋରି ଭଳିଆ ବୋକୀ ମାନେ ଆକୁ ମାନିନେଇ ପାରନ୍ତି; ମୁଁ ନୁହେଁ...
ଚଂଚଳା: ହେ ଠାକୁରେ...
ଭଗବାନ: ହଁ, ଡାକ୍ ତାକୁ... ଆସୁ ସେ, କୋଉଠି ଅଛି?
ଚଂଚଳା: ତୁ ଟା ମରିବୁ ରେ...
ଭଗବାନ: ହାଃ... ହାଃ... ହାଃ... ମୁଁ ମରିବି... ହଉ ହେଲା... ଏଇ ଦେଖ୍...
(ଏତିକି କହି ସେ ଖମ୍ବକୁ ହାଣିଲା, ଚୋଟ ଶବ୍ଦ ଶୁଣି ଉଠି ବସିଲା ବିଶିକେଶନ | ଅଜଣା ଆତଂକରେ ଆଖି ବୁଜିଲା ଚଂଚଳା | ଦୁଇ ତିନି ଚୋଟ ପରେ ହଠାତ୍ ସବୁ ଶାନ୍ତ ହେଇ ଗଲା | ଧୀରେ ଧୀରେ ଆଖି ଖୋଲିଲା ଚଂଚଳା | କିନ୍ତୁ ଏ କ’ଣ ଦେଖୁଛି ସେ ? କି ଆଶ୍ଚର୍ଯ୍ୟ କଥା ଇଏ ? ଏମିତି କ’ଣ କେବେ ହେଇ ପାରେ?
ଆତଙ୍କିତ ହୋଇ ଚଂଚଳାର ଛିଣ୍ଡା ପଣତକାନି ତଳେ ବିଶିକେଶନ ଜାବୁଡି ଧରିଛି ତାର ଗୋଟେ ଗୋଡକୁ | ବାଉଁଶଟା ଭାଂଗୀ ଚୁରମାର ହୋଇଯାଇଛି | କିନ୍ତୁ... ଏ କ’ଣ... ଚଟ୍ଟାଣ ସାରା ବିଂଚୀ ହୋଇଯାଇଛି ଚାଉଳ | ଅତି କମରେ ପୋଷେ ତ ନିଶ୍ଚୟ ହେବ | ଭଗବାନର ମୁହଁକୁ ଚାହିଁଲା ଚଂଚଳା... ହାତରୁ କୁରାଢି ଖସି ପଡିଛି, ଆଉ ନିଶ୍ଚଳ ମୁଦ୍ରାରେ ଅଛି ଭଗବାନ | ଅତି ଆଗ୍ରହରେ ବିଶିକେଶନ ବାଉଁଶ ମୂଳକୁ ଯେମିତି ଟିକିଏ ଖେଂଚୀ ଦେଇଛି, ଦୁଇଟି ବଡ ଗାତୁଆ ମୂଷା ଖୁବ୍ ଜୋରରେ ଦୌଡି ପଳାଇଲେ | ଏସବୁ ଦେଖିବା ପାଇଁ ଚଂଚଳା ପାଖରେ ସମୟ ନଥାଏ, ସେ ମୁଣ୍ଡରେ ଓଢଣା ଦେଇ କେଜାଣି କେଉଁ ଦିଅଁ ଦେବତାଙ୍କୁ ମୁଣ୍ଡିଆ ମାରୁଥାଏ | ଏସବୁ ଦେଖି ହସି ଉଠିଲା ଭଗବାନ...)
ଭଗବାନ: ହା... ହା... ହାଃ... ହେଇ ଦେଖ ଦେଖ, କେମିତି ମୁଣ୍ଡିଆ ଉପରେ ମୁଣ୍ଡିଆ ମାରି ଚାଲିଛି ! କହିଲା କ’ଣ ନା ଠାକୁର ସବୁଆଡେ ଅଛନ୍ତି | ଶଳା, ଠାକୁର ଖୋଜିବାକୁ ଯାଇ ମୁଁ ପାଇଲି ମୁଷା | ଆଉ ମୂଷା ଗାତରୁ ମିଳିଲା ଚାଉଳ; ଏଟା କ’ଣ ତୋ ଠାକୁର ଦେଲେ ?
ଚଂଚଳା: ଏ ସବୁ ହେଉଛି ଠାକୁରଙ୍କର ଚମତ୍କାର | ତାଙ୍କରି କୃପାରୁ ଆଜି ଦିନର ଖାଇବା ବ୍ୟବସ୍ଥା ହେଇଗଲା | ସେ ଆମକୁ ଚାଉଳ ଦେଲେ | ମୂଷା ରୁପରେ ଆମକୁ ଦର୍ଶନ ଦେଲେ | ଏହା ଠାକୁରଙ୍କ ଅସ୍ତିତ୍ଵର ପ୍ରମାଣ ନୁହେଁ ତ ଆଉ କ’ଣ?
ଭଗବାନ: ଏହା ଠାକୁରଙ୍କ ଅସ୍ତିତ୍ଵର ପ୍ରମାଣ ନୁହେଁ ବରଂ ମୂଷାଙ୍କ ଉପସ୍ଥିତିର ପ୍ରମାଣ, ବୁଝିଲୁ ? ହଉ ସେ ଚାଉଳ ସବୁ ଗୋଟେଇ ନେ ଆଉ ଏ ଭଂଗା ବାଉଁଶକୁ ଜାଳ କରି ରାନ୍ଧି ଦେ | (ପୁଅକୁ କୋଳେଇ ନେଇ) ବିଶିଆକୁ ମୋର ଭାରି ଭୋକ ହେଲାଣି |
| ଚାଲିଗଲା ଚଂଚଳା |

Comments

aniruddha jena said…
what an extraordinary write up, salute bro, commendable
Ansuman Jena said…
Thank You Aniruddha and Ratiranjan, for the kind words and wishes.

Keep reading and commenting.

Love
AJ
Umakanta Patra said…
finally completed with that perception.. good... good....
Ansuman Jena said…
Han Agyan... Umakanta babu,

FINALLY :)